Unknown

 

 

 

 

 

 

 

 

 

 

 

ଆଚାର୍ଯ୍ୟ ହରିହର

ଉଦୟନାଥ ଷଡ଼ଙ୍ଗୀ

 

ଆଚାର୍ଯ୍ୟ ହରିହର

(ଆଚାର୍ଯ୍ୟ ମହାଶୟ)

 

ଗୋଟିଏ ବଡ଼ ସ୍କୁଲ । ଓଡ଼ିଶାର ଚାରିଆଡ଼ୁ ବହୁତ ପିଲା ଆସି ସେ ସ୍କୁଲରେ ପଢ଼ନ୍ତି । ବୋର୍ଡିଂରେ ମଧ୍ୟ ଅନେକ ପିଲା ରହିଥାଆନ୍ତି । ସବୁ ସମୟରେ ଗହଳି ଚହଳି ଲାଗିଥାଏ ।

 

ସେ ବର୍ଷ ଭାରି ଜର ହେଉଥାଏ । ଗାଁ ଗାଁରେ ଲୋକେ ଜରରେ ପଡ଼ିଥାଆନ୍ତି । ସେ ବୋର୍ଡ଼ିଂରେ ମଧ୍ୟ ପାଞ୍ଚ ଜଣ ଜର ଭୋଗୁଥାଅ।ନ୍ତି । ଚାରି ଜଣ ଛୋଟ ଛୋଟ ପିଲା, ଜଣେ ବୋର୍ଡ଼ିଂର ମେହେନ୍ତର । ଡାକ୍ତର ରୋଗୀଙ୍କୁ ଦେଖି ଔଷଧ ଦେଉଥାଆନ୍ତି । ବୋର୍ଡ଼ିଂର ପିଲାମାନେ ପାଳି କରି ସେବା ଶୁଶ୍ରୁଷା କରନ୍ତି; ବାର୍ଲି, ସାଗୁ ରାନ୍ଧି ଖୁଆଉଥାଆନ୍ତି ।

 

ବୋର୍ଡ଼ିଂର ନିୟମ ଥାଏ, ପ୍ରତିଦିନ ତିନି ଜଣ ପିଲା ସାଙ୍ଗ ହୋଇ ରୋଗୀମାନଙ୍କ ସେବା କରିବେ । ରୋଗୀଙ୍କୁ ଡାକ୍ତରଖାନାରୁ ଔଷଧ ଆଣି ଦେବେ । ବାର୍ଲି, ସାଗୁ, ଦୁଧ କିଣିଆଣି ପଥି କରାଇବେ । ଝାଡା, ବାନ୍ତି ହେଲେ ତାହା ସଫା କରିବେ । ଦରକାର ହେଲେ ରୋଗୀର ଗୋଡ଼ ଘସି ଦେବେ, ତା ବିଛଣା ଝ।ଡ଼ି ଖରାରେ ଦେବେ; ରାତି ଅନିଦ୍ରା ହୋଇ ରୋଗୀକୁ ଜଗି ବସିବେ, ଥରକୁ ଥର ଥର୍ମାମିଟରରେ ଜରର ତାପ ଦେଖିବେ । ଏହିପରି ଯେତେ କାମ, ତାହା ସେହି ପିଲାଏ କରିବେ । ସେଦିନ ଗଲେ ପରଦିନ ଆଉ ତିନି ଜଣ ପିଲାଙ୍କର ପାଳି ପଡ଼ିବ । ସେମାନେ ରୋଗୀଙ୍କ କଥା ବୁଝିବେ,ଆଗ ଦିନର ପିଲା ତିନି ଜଣ ସ୍କୁଲକୁ ପଢ଼ିବାକୁ ଯିବେ ।

 

ଏହାକୁ ରୋଗୀସେବା ପାଳି କହନ୍ତି । ପ୍ରତିଦିନ ପାଳି କରି ପିଲାଏ ଏ କାମ କରନ୍ତି । ଯେଉଁ ସମୟରେ କେହି ରୋଗରେ ପଡ଼ି ନ ଥାନ୍ତି, ସେତେବେଳେ ତ କିଛି ନାହିଁ । ଯେତେବେଳେ ଜଣେ ହେଲେ କେହି ରୋଗରେ ପଡେ, ସେତେବେଳେ ପିଲାଙ୍କ କାମ ଲାଗି ରହିଥାଏ ।

 

ଏକାବେଳକେ ପାଞ୍ଚ ଜଣ ଜରରେ ପଡ଼ିଛନ୍ତି । ଯାହାଙ୍କର ରୋଗୀସେବା ପାଳି, ସେମାନଙ୍କ କାମ ବଢିଯାଇଛି ।

 

ବୋର୍ଡ଼ିଂର ସୁପରିଟେଣ୍ଡେଣ୍ଟ ଭାରି ବ୍ୟସ୍ତ । ଯେ ଯେତେ ସେବା କଲେ ବି ତାଙ୍କ ମନ ମାନେ ନାହିଁ । ସେ ନିଜେ ଥରକୁ ଥର ରୋଗୀଙ୍କ ପାଖକୁ ଯାଆନ୍ତି । ତାଙ୍କ ହାନିଲାଭ ବୁଝନ୍ତି । କିପରି କଅଣ କରିବାକୁ ହେବ, ପିଲାଙ୍କୁ ବତାଇ ଦିଅନ୍ତି ।

 

ଶେଷକୁ ନିଜେ ସୁପରିଟେଣ୍ଡେଣ୍ଟ ଜରରେ ପଡ଼ିଲେ । ଜର ବା ନ ହୁଅନ୍ତା କିପରି ? ଦିନଯାକ ସ୍କୁଲରେ ପଢ଼।ନ୍ତି । ବୋର୍ଡ଼ିଂକୁ ଆସିଲେ ରୋଗୀଙ୍କ କଥା ବୁଝନ୍ତି, ଆଉ ପିଲାଙ୍କ ହାରିଗୁହାରି ଶୁଣନ୍ତି, ରାତିରେ ଘର ଘର ବୁଲି ରୋଗୀଙ୍କୁ ଦେଖନ୍ତି । ସବୁବେଳେ ପିଲାମାନଙ୍କ ହାନିଲାଭ ଚିନ୍ତା କରୁଥାଆନ୍ତି । ଏତେ ପରିଶ୍ରମ ପଡ଼ିବାରୁ ନିଜେ ଜର ଭୋଗିଲେ । ତଥାପି କାମ ଛାଡ଼ିଲେ ନାହିଁ କି ନିଜ ଦେହକୁ ନଜର ଦେଲେ ନାହିଁ ।

 

ତା ଫଳରେ ଜର ବେଶୀ ହେଲା; ସେ ଅଚେତ ହୋଇ ପଡ଼ି ରହିଲେ । ଯାହାଙ୍କର ରୋଗୀସେବା ପାଳି, ସେମାନେ ତ ପ୍ରାଣପଣେ ଲାଗି ପଡ଼ିଲେ । ବୋର୍ଡ଼ିଂର ସବୁ ପିଲା ଅତି ବ୍ୟସ୍ତ ହୋଇ ଉଠିଲେ । ପିଲାଏ ଯେ ତାଙ୍କୁ ନିଜ ବାପାଠାରୁ ବଳି ବେଶୀ ଭକ୍ତି କରନ୍ତି । ସ୍କୁଲର ଶିକ୍ଷକଯାକ ସବୁବେଳେ ପାଖରେ ଜଗି ବସିଲେ–ସେ ଯେ ସବୁ ଶିକ୍ଷକଙ୍କର ବଡ଼ ଭାଇ–"ହରି ଭାଇନା" ।

 

ବହୁ ସେବା ଶୁଶ୍ରୁଷା ଫଳରେ କେତେ ଘଣ୍ଟାପରେ ତାଙ୍କର ଚେତା ଆସିଲା । ସେ ଆଖି ଫିଟାଇ ଚାହିଁଲେ, ଦେଖିଲେ ସବୁ ପିଲା ତାଙ୍କ ପାଖରେ ରୁଣ୍ଡ ହୋଇଛନ୍ତି । ଯାହାଙ୍କର ରୋଗୀସେବା ପାଳି ସେମାନେ ବି ସେଠାରେ ରହିଛନ୍ତି । ସେ ଆଖି ଫିଟାଇବା ସାଙ୍ଗେ ସାଙ୍ଗେ ସବା ଆଗ ପଚାରିଲେ, "ବାହୁଡ଼ା କିପରି ଅଛି ?"

 

ବାହୁଡ଼ା ବୋର୍ଡ଼ିଂର ର ମେହେନ୍ତର । ପିଲାଏ କହିଲେ, "ସେ ଭଲ ଅଛି ।" ତହୁଁ ସୁପରିଟେଣ୍ଡେଣ୍ଟ ଗୋଟି ଗୋଟି ଜରୁଆ ପିଲାଙ୍କ ଅବସ୍ଥା କଅଣ ପଚାରି ବୁଝିଲେ । ସମସ୍ତେ ଭଲ ଅଛନ୍ତି ଶୁଣି କହିଲେ–ତୁମେ ସବୁ ତ ଏଠି ରହିଛ । ସେମାନଙ୍କୁ ଆଉ ଦେଖୁଛି କିଏ ? ଯାଅ, ଆଗ ସେମାନଙ୍କ କଥା ବୁଝ ।

 

ନିଜ ଦେହ ପ୍ରତି ଟିକିଏ ନଜର ନାହିଁ, ନିଜ କଷ୍ଟକୁ କଷ୍ଟ ବୋଲି ସେ ମଣୁ ନାହାନ୍ତି । ଅଥଚ ଆଉ ସମସ୍ତେ କିପରି ଅଛନ୍ତି, ତାଙ୍କୁ କଷ୍ଟ ହେଉଛି କି ନାହିଁ, ସେ କଥା ଆଗ ବୁଝୁଛନ୍ତି । ଘରର ଯେ ବାପ ମା, ସେ ପିଲାଙ୍କ ହାନିଲାଭ ଆଗ ବୁଝନ୍ତି । ପିଲାମାନଙ୍କର ଟିକିଏ ଦୁଃଖ କଷ୍ଟ ହେଲେ ତାଙ୍କୁ ବେଶୀ ବାଧେ । ସେଥିରେ ସେ ନିଜ ଦୁଃଖ କଷ୍ଟ ଭୁଲିଯାଆନ୍ତି ।

 

ଏହି ସୁପରିଟେଣ୍ଡେଣ୍ଟ, ଶିକ୍ଷକମାନଙ୍କର "ହରି ଭାଇନା" ହେଉଛନ୍ତି ଆଚାର୍ଯ୍ୟ ହରିହର ଦାସ । ପରେ ତାଙ୍କୁ ସମସ୍ତେ ଡାକିଲେ ଆଚାର୍ଯ୍ୟ ମହାଶୟ ବୋଲି । ଦେଶର ସବୁ ସହର, ସବୁ ଗାଁ ଗଣ୍ଡ।ର ଲୋକେ ଏହି ଆଚାର୍ଯ୍ୟ ମହାଶୟଙ୍କୁ ଆଦର କରୁଥିଲେ, ଭକ୍ତି କରୁଥିଲେ, ଦେଖିଲେ ଗୋଡ଼ ତଳେ ପଡ଼ୁଥିଲେ । ଆଚାର୍ଯ୍ୟ ମହାଶୟ ମଧ୍ୟ ଯାହାଙ୍କୁ ଦେଖନ୍ତି, ତା ଉପରେ ସ୍ନେହ ସୋହାଗ ଢାଳି ଦିଅନ୍ତି । ହସି ହସି ତା’ର କୁଶଳ ମଙ୍ଗଳ ପଚାରନ୍ତି । ସତେ ଯେପରି ସମସ୍ତେ ତାଙ୍କର ନିଜର ପିଲା; ସେ ସମସ୍ତଙ୍କର ମୁରବି–ବାପ କି ବଡ ଭାଇ । ତାଙ୍କର କେହି ଶତ୍ରୁ ନଥିଲେ, ତାଙ୍କ ପାଖରେ କେହି ପର ନଥିଲେ–ସମସ୍ତେ ଆପଣାର, ସମସ୍ତେ ନିଜ ଲୋକ । ଏତେ ସ୍ନେହ ଶ୍ରଦ୍ଧା ସାଧାରଣ ମନୁଷ୍ୟ ପାଖରେ ଦେଖିବାକୁ ମିଳେ ନାହିଁ । ସେ ସ୍ନେହର ସୀମା ନାହିଁ କି ଶ୍ରଦ୍ଧାର ଅନ୍ତ ନାହିଁ । କେବଳ ସେଥିପାଇଁ ଆଚାର୍ଯ୍ୟ ମହାଶୟ ସମସ୍ତଙ୍କର ପୂଜ୍ୟ, ସମସ୍ତଙ୍କର ନମସ୍ୟ ହୋଇଥିଲେ । ତାଙ୍କ ନାମ ମନେ ପଡ଼ିଲେ ପିଲା, ବୁଢ଼ା ସମସ୍ତଙ୍କ ମୁଣ୍ଡ ନଇଁ ଯାଉଥିଲା ।

 

–ପିଲାଦିନ–

 

ଆଚାର୍ଯ୍ୟ ହରିହର ଜନ୍ମ ହୋଇଥିଲେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳରେ । ସେଠାରେ ଶ୍ରୀରାମଚନ୍ଦ୍ରପୁର ବୋଲି ଗୋଟିଏ ବଡ଼ ଗ୍ରାମ ଅଛି । ସେ ଗ୍ରାମରେ ବହୁତ ପଣ୍ଡିତ, ସାଧୁଲୋକ ଜନ୍ମିଛନ୍ତି । ହରିହରଙ୍କ ବାପା ମହାଦେବ ବ୍ରହ୍ମା ମଧ୍ୟ ଜଣେ ବଡ଼ ପଣ୍ଡିତ ଓ ଧାର୍ମିକ ଲୋକ ଥିଲେ । ସେ ପ୍ରତିଦିନ ଦିଅଁ ଦର୍ଶନ ନ କଲେ ପାଣି ସୁଦ୍ଧା ପିଉ ନ ଥିଲେ । ସେଇଥିପାଇଁ ଗାଁରେ ତାଙ୍କର ଖାତିର ଖୁବ୍‍ ଥିଲା । ଗ୍ରାମର ଲୋକେ ପ୍ରତି କଥାରେ ବ୍ରହ୍ମାଙ୍କଠାରୁ ଆସି ଉପଦେଶ ନେଉଥିଲେ । ନିଜର ଭଲମନ୍ଦ, ହାନିଲାଭ ବ୍ରହ୍ମାଙ୍କ ପାଖରେ ଜଣାଉଥିଲେ । ପୁରାଣ ଶାସ୍ତ୍ରମାନଙ୍କରେ ଅଛି; ସ୍ଵର୍ଗର ଦେବତାମାନେ କିଛି ଆପଦ ବିପଦ ପଡିଲେ ବ୍ରହ୍ମାଙ୍କ ଶରଣ ପଶୁଥିଲେ । କାରଣ ବ୍ରହ୍ମା ସମସ୍ତଙ୍କର ମୁରବି–ତାଙ୍କୁ 'ପିତାମହ' ଅର୍ଥାତ ଅଜା ବୋଲି ସମସ୍ତେ ଡାକନ୍ତି । ଶ୍ରୀରାମଚନ୍ଦ୍ରପୁରର ଏ ମହାଦେବ ବ୍ରହ୍ମା ମଧ୍ୟ ଠିକ୍‍ ସେହି ସ୍ୱର୍ଗର ବ୍ରହ୍ମାଙ୍କ ପରି ଗାଁର ମୁରବି; ସମସ୍ତଙ୍କ ଦୁଃଖ ସୁଖ ବୁଝିବାକୁ ଆଗ । ସମସ୍ତେ ଯେପରି ତାଙ୍କ ନିଜର ପିଲା କୁଟୁମ୍ବ ।

 

ହରିହର ୧୮୮୧ ମସିହା ଫେବୃଆରୀ ମାସ ୧୬ ତାରିଖରେ ଜନ୍ମ ହୋଇଥିଲେ । ସେ ବାପାମାଙ୍କର ବଡ଼ ପୁଅ । ବ୍ରହ୍ମାଙ୍କର ପୁଅ ହୋଇଛି–ଏ ସମ୍ବାଦରେ ଘରର ଲୋକେ ଯେତିକି ଖୁସି ହେଲେ, ଗ୍ରାମର ଲୋକେ ମଧ୍ୟ ସେତିକି ପୁଲକି ଉଠିଲେ । ଏହି ଗୋରା ତକତକ ଗୁଲୁଗୁଲିଆ ପିଲାଟିକୁ ଦେଖି ସମସ୍ତେ ସେତେବେଳେ ଭାବିନେଲେ, ପିଲାଟି ନିଶ୍ଚୟ ଗ୍ରାମର ମୁହଁ ଉଜ୍ୱଳ କରିବ-। ପ୍ରକୃତରେ ଏକା ଗ୍ରାମ କାହିଁକି, ସାରା ଓଡିଶା ଦେଶ ତାଙ୍କ ସକାଶେ ପବିତ୍ର ହୋଇଛି । ଅସଂଖ୍ୟ ବାଲିଗରଡ଼ା ଭିତରେ ଗୋଟିଏ ମାଣିକ୍ୟ ପଡ଼ିଥିଲେ ଯେପରି ତାହା ଚିକ୍‍ଚିକ୍‍ ଦେଖାଯାଏ, ଲୋକେ ଆଦର କରି ଗୋଟାଇ ନିଅନ୍ତି; ସେହିପରି ହରିହର ଦେଶର ମଣିଷଙ୍କ ଭିତରେ ମାଣିକ୍ୟପରି ଉଜ୍ଜ୍ୱଳୁଥିଲେ । ଦେଶର ଲୋକେ ତାଙ୍କୁ ଶ୍ରଦ୍ଧା ଭକ୍ତି କରୁଥିଲେ । ଦେଖିଲେ ଆନନ୍ଦରେ ମୁଣ୍ଡିଆ ମାରୁଥିଲେ ।

 

ହରିହରଙ୍କ ମାଆଙ୍କ ନାମ ଶ୍ରଦ୍ଧାଦେବୀ । ତାଙ୍କ ହୃଦୟରେ ସତେ ଯେପରି ଶ୍ରଦ୍ଧା ପୁରି ରହିଥିଲା । ଗ୍ରାମର ସବୁ ପିଲାଙ୍କୁ ସେ ନିଜର ପୁଅଝିଅ ଭଳି ମନେ କରୁଥିଲେ । ହରିହର ତାଙ୍କରିଠାରୁ ସେ ଗୁଣତକ ପୂରା ମାତ୍ରାରେ ହାସଲ କରିଛନ୍ତି ।

 

ଖେଳ କଉତୁକରେ ଶିଶୁ ଅବସ୍ଥା କଟି ଯାଉଥିଲା । ବାପ ମାଆଙ୍କ ଆଦର, ସାଇ ଓ ଗ୍ରାମ ଲୋକଙ୍କ ଅସରନ୍ତି ସ୍ନେହ ଶ୍ରଦ୍ଧାରେ ହରିହର ବଢ଼ିବାକୁ ଲାଗିଲେ । କିନ୍ତୁ ଏ ସୁଖ ବିଧାତା ସହିଲା ନାହିଁ । ହରିହରଙ୍କୁ ଯେତେବେଳେ ମୋଟେ ତିନି ବର୍ଷ ବୟସ, ସେତେବେଳେ ମା ଶ୍ରଦ୍ଧାଦେବୀ ତାଙ୍କୁ ଛାଡ଼ି ଦୁନିଆରୁ ଚାଲିଗଲେ । ତିନି ବର୍ଷର ଶିଶୁ ମାଆକୁ ନ ଦେଖି ପହିଲେ କେତେ ଦିନ ଖୁବ କାନ୍ଦିଲେ, ଝୁରି ହେଲେ । କିନ୍ତୁ ମହାଦେବ ବ୍ରହ୍ମା ଏକାବେଳକେ ତାଙ୍କର ବାପ ଓ ମା ଉଭୟ ହେଲେ । ହରିହର ମାଆଙ୍କ ଅଭାବ ଆଉ ଜାଣିପାରିଲେ ନାହିଁ ।

 

ହରିହର ତ ଜନ୍ମ ହୋଇଥିଲେ ଦେଶମା ପାଇଁ; ଗୋଟିଏ ମନୁଷ୍ୟ ମାଆର ଭକ୍ତିରେ ତାଙ୍କ ମନ ସୀମାବଦ୍ଧ ହୋଇ ରହନ୍ତା କିପରି ?

 

ପାଞ୍ଚ ବର୍ଷ ବେଳେ ତାଙ୍କର ଖଡ଼ିଛୁଆଁ ହେଲା । ଗାଁ ସ୍କୁଲରେ ବସି ସେ ପାଠପଢ଼ା ଆରମ୍ଭ କଲେ । ଭଗବାନ ମହାନ୍ତି ନାମରେ ଜଣେ ଲୋକେ ଗାଁ ସ୍କୁଲର ମାଷ୍ଟର ଥାନ୍ତି । ଅଙ୍କ ପାଠରେ ସେ ଖୁବ ଧୁରନ୍ଧର । ହରିହର ବେଶ ବୁଦ୍ଧିମାନ; ଥରେ ତାଙ୍କୁ ଯେଉଁ କଥାପଦକ କହିଦିଆଯାଏ, ତାହା ସବୁଦିନପାଇଁ ତାଙ୍କ ମନେ ରହିଯାଏ । ଶିକ୍ଷକ ଏପରି ଗୋଟିଏ ଛାତ୍ର ପାଇ ଖୁସି ହୋଇଗଲେ । ସେ ନିଜର ଯେତେ ବିଦ୍ୟାବୁଦ୍ଧି ଥିଲା, ସେ ସବୁଯାକ ହରିହରଙ୍କୁ ଦେଇଦେବାକୁ ଅସ୍ଥିର ହୋଇ ଉଠିଲେ । ହରିହର ମଧ୍ୟ ଶିକ୍ଷକଙ୍କ ସ୍ନେହ ଶ୍ରଦ୍ଧା ପାଇ ସବୁବେଳେ ତାଙ୍କରି ପାଖରେ ରହିବାକୁ ମନ କଲେ ।

 

ତିନି ବର୍ଷ ମଧ୍ୟରେ ଗାଁ ପାଠଶାଳାର ସବୁ ପାଠ ହରିହର ହାସଲ କରିନେଲେ । ଆନନ୍ଦରେ ଭଗବାନ ତାଙ୍କୁ ଆଶୀର୍ବାଦ କରି ନିଜ ପାଠଶାଳାରୁ ବିଦାୟ ଦେଲେ ।

 

ସେତେବେଳେ ସେ ଗାଁରେ ଗୋଟିଏ ଭର୍ଣ୍ଣାକୁଲର ସ୍କୁଲ ଥିଲା । ଆଜିକାଲି ମାଇନର ସ୍କୁଲରେ ଯେଉଁସବୁ ପାଠ ପଢ଼ାଯାଏ, ଆଗେ ଭର୍ଣ୍ଣାକୁଲର ସ୍କୁଲରେ ସେହି ସବୁ ପାଠ ପଢ଼ାଯାଉଥିଲା । କେବଳ ଇଂରାଜୀ ପଢ଼ାଟି ହେଉ ନ ଥିଲା । ସାହିତ୍ୟ ଓ ଅଙ୍କଶାସ୍ତ୍ର ସେ ସ୍କୁଲର ପ୍ରଧାନ ବିଷୟ ଥିଲା ।

 

ହରିହର ସେହି ଭର୍ଣ୍ଣାକୁଲର ସ୍କୁଲରେ ନାମ ଲେଖାଇଲେ । ଅଳ୍ପଦିନ ଭିତରେ ସବୁ ପିଲାଙ୍କ ମଧ୍ୟରେ ସେ ଜଣାଶୁଣା ହୋଇଗଲେ । ଭଲ ତ ପଢ଼ନ୍ତି, ଆଉ ସବୁ କାମରେ ମଧ୍ୟ ଧୁରନ୍ଧର ହୋଇ ବାହରନ୍ତି । ତେଣୁ ସ୍କୁଲର ପିଲାଏ ଯେପରି ଜଣେ ଆଗଚଲା ସାଙ୍ଗ ପାଇଲେ,ଶିକ୍ଷକମାନେ ମଧ୍ୟ ସେହିପରି ଜଣେ ଉପଯୁକ୍ତ ଛାତ୍ର ପାଇଲେ ।

 

ବିଶେଷତଃ ମଧୁସୂଦନ ମିଶ୍ର ବୋଲି ଜଣେ ଶିକ୍ଷକ ସେ ସ୍କୁଲରେ ଥିଲେ । ହରିହରଙ୍କୁ ସେ ଗୋଟାସୁଦ୍ଧା ନିଜର କରିନେଲେ । ମଧୁସୂଦନ ମିଶ୍ରଙ୍କୁ ଗାଁରେ ସମସ୍ତେ ଏକଘରିଆ କରିଥାଆନ୍ତି । ସେ ସମୟରେ ଯେପରି ଚାଲିଚଳଣ; ରୀତିନୀତି ଥିଲା, ମଧୁସୂଦନ ସେଥିରୁ ଏକାବେଳକେ ବାହାର । ସେତେବେଳେ ଲୋକେ ଜାତିଭେଦ ପ୍ରଥାକୁ ଯୋରରେ ମାନି ଚଳୁଥିଲେ-। ବାଉରି, ହାଡ଼ି, ଡମ, ପାଣଜାତି ଲୋକର ଛାଇ ପଡିଲେ ବ୍ରାହ୍ମଣ କରଣମାନେ ଅଥୟ ହୋଇ ଉଠୁଥିଲେ । ସେମାନେ ଗାଁ ଦାଣ୍ଡରେ ଚାଲିପାରିବେ ନାହିଁ, ବଡ଼ପାଟିରେ କଥା କହିପାରିବେ ନାହିଁ । ମଧୁସୂଦନ ମିଶ୍ର କହିଲେ,ସବୁ ମଣିଷତ ଏକ । ସେ ହାଡ଼ି ବାଉରି ହେଲେ ବୋଲି କଅଣ କୁକୁର ବିଲୁଆଙ୍କ ଠାରୁ ହୀନ ହୋଇଗଲେ ? ସେ ସମୟରେ ଏହା କହିବା କମ୍‍ ସାହସର କଥା ନୁହେଁ । ମଧୁସୂଦନ ଯେ ଖାଲି ମୁହଁରେ କହିଲେ, ତାହା ନୁହେଁ; ସେ ହାଡ଼ି ବାଉରିଙ୍କ ସହିତ ମିଶିଲେ । ଏହା ଦେଖି ଗ୍ରାମର ମୁଖିଆ ଲୋକେ ରାଗିଗଲେ, ତାଙ୍କୁ ଏକଘରିଆ କଲେ । ନାନା ଅସୁବିଧାରେ ପକାଇଲେ ।

 

ଯେତେ ଦୁଃଖ କଷ୍ଟ ପାଇଲେ ମଧ୍ୟ ମଧୁସୂଦନ ମିଶ୍ର ଦବିଲେ ନାହିଁ । ବ୍ରାହ୍ମଣମାନଙ୍କ ମଧ୍ୟରେ ଯେତେ ଖରାପ କଥା ଅଛି, ତାହା ଦୂର କରିବାକୁ ସେ ଲାଗିପଡ଼ିଲେ । ହରିହର ତାଙ୍କର ଏ ସାହସ, ଏ ଦମ୍ଭ ଦେଖି ତାଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଲେ, ତାଙ୍କର ପ୍ରିୟ ଶିଷ୍ୟ ହେଲେ । ମିଶ୍ରେ ମଧ୍ୟ ହରିହରଙ୍କ ଭଳି ଛାତ୍ର ପାଇ ତାଙ୍କୁ ନିଜ ମତ ଅନୁସାରେ ଶିକ୍ଷା ଦେଲେ ।

 

ଚାରି ବର୍ଷ ପରେ ହରିହର ଭର୍ଣ୍ଣାକୁଲର ସ୍କୁଲରୁ ପାଶ କଲେ, ଭର୍ଣ୍ଣାକୁଲର ବୃତ୍ତି ମଧ୍ୟ ପାଇଲେ । ସେପର୍ଯ୍ୟନ୍ତ ସେ ଅଞ୍ଚଳର କୌଣସି ପିଲା ବୃତ୍ତି ପାଇ ନ ଥିଲେ କି ସେ ସ୍କୁଲରୁ କେହି ପିଲା ମଧ୍ୟ ବୃତ୍ତି ପାଇ ନ ଥିଲେ । ପ୍ରଥମେ ହରିହର ବୃତ୍ତି ପାଇବାରୁ ସ୍କୁଲର ଶିକ୍ଷକମାନେ ଯେପରି ଖୁସି ହେଲେ, ଗ୍ରାମବାସୀ ମଧ୍ୟ ସେହିପରି ଖୁସି ହେଲେ ।

 

–ପ୍ରଥମ ସେବା–

 

ହରିହର ପୁରୀ ଜିଲା ସ୍କୁଲରେ ନାମ ଲେଖାଇଲେ । ସେ ସମୟରେ ବ୍ରାହ୍ମଣ ପଣ୍ଡିତମାନେ ନିଜ ନିଜ ପିଲାଙ୍କୁ ସ୍କୁଲକୁ ପଠାଉ ନ ଥିଲେ । ସେମାନେ ଭାବୁଥିଲେ, ପିଲା ଇଂରାଜୀ ପାଠ ପଢ଼ି ଜାତି ହରାଇବ, ଖ୍ରୀଷ୍ଟ।ନ ହୋଇଯିବ, ଅଖାଦ୍ୟ ଖାଇବ ।

 

ଆମ ଦେଶରେ ପ୍ରଥମେ ଯେତେବେଳେ ଇଂରାଜୀ ସ୍କୁଲ ବସିଲା, ସେତେବେଳେ ଏହିପରି କେତେକ ଘଟଣା ଘଟିଥିଲା । ସେତେବେଳେ ଯେଉଁମାନେ ସ୍କୁଲରେ ପାଠ ପଢ଼ି ନାମ କଲେ, ସେମାନଙ୍କ ମଧ୍ୟରୁ କିଏ ଖ୍ରୀଷ୍ଟ।ନ ହେଲେ, କିଏ ପଇତା ଛିଣ୍ଡାଇ ବ୍ରାହ୍ମଧର୍ମ ଗ୍ରହଣ କଲେ, କେତେକ ମଦ ଖାଇଲେ । ଏହା ଦେଖି ପଣ୍ଡିତମାନେ ପ୍ରମାଦ ଗଣିଲେ । ସେମାନେ ଭାବିଲେ, ସବୁ ପିଲା ଏହିପରି ହୋଇଯିବେ । ତେଣୁ ଇଂରାଜୀ ସ୍କୁଲମାନଙ୍କୁ ପିଲା ପଠାଇବାକୁ ସାହସ କଲେ ନାହିଁ ।

 

ହରିହରଙ୍କ ବାପା ମରହଟି ପଣ୍ଡିତ ହେଲେ ମଧ୍ୟ ପୁଅକୁ ସ୍କୁଲକୁ ପଠାଇବାକୁ ଆପତ୍ତି କଲେ ନାହିଁ । ସେ ପିଲାଦିନୁ ପୁଅର ମତିଗତି ଭଲରୂପେ ବୁଝିଯାଇଥିଲେ । ସେ ଜାଣିଥିଲେ ଯେ, ହରିହର କେବେହେଲେ ଅବ।ଟରେ ଯିବ ନାହିଁ କି ଅନ୍ୟ।ୟ କରିବ ନାହିଁ ।

 

ହରିହର ଇଂରାଜୀ ସ୍କୁଲରେ ପଢ଼ିବାକୁ ପୁରୀ ଗଲେ । ପୁରୀ ଜିଲା ସ୍କୁଲରେ ନାମ ଲେଖାଇଲେ । ସେ ସମୟରେ ହରିହରଙ୍କ ମୁଣ୍ଡରେ ଚୁଟି ଥାଏ । ସେ ସମୟରେ ଶ୍ରୀରାମଚନ୍ଦ୍ରପୁର ଶାସନରୁ ଯେତେ ପିଲା ସ୍କୁଲରେ ପଢ଼ୁଥାନ୍ତି, ସମସ୍ତେ ଚୁଟି ରଖିଥାଆନ୍ତି । ଅନ୍ୟ ପିଲାମାନେ ଏମାନଙ୍କ ଚୁଟି କାଟି ପକାଇବାକୁ ଫିକର କଲେ । ସବୁ ପିଲାଏ କହିଲେ, "ହରି ଭାଇନା ଆମ ଭିତରେ ବଡ଼ । ଯଦି ତାଙ୍କ ଚୁଟି କାଟି ଦିଆଯିବ, ତେବେ ଆମେ ଚୁଟି କାଟିବୁ ।" କିନ୍ତୁ ହରିହରଙ୍କୁ ସାହସ କରି କେହି ଏ କଥା କହୁ ନ ଥାନ୍ତି ।

 

ଥରେ କଥା ହେଲା, ଚୁଟି ରଖିବା ଭଲ କି ମନ୍ଦ, ଏ ବିଷୟରେ ଆଲୋଚନା କରାଯିବ । ହରିହରଙ୍କୁ ସେଠାକୁ ଡକାଗଲା । କେତେ ଯୁକ୍ତିତର୍କ ହେଲା । ହରିହର କହିଲେ, "ଚୁଟି ରଖିଲେ ତ ଆମର କିଛି କ୍ଷତି ହେଉ ନାହିଁ । ତେବେ ମୁରବିମାନଙ୍କ କଥା ଅମାନ୍ୟ କରିବା କାହିଁକି ? ତାଙ୍କ ମନରେ କଷ୍ଟ ଦେବା କ'ଣ ଆମର ଉଚିତ ?"

 

କିନ୍ତୁ ଅନ୍ୟ ପିଲାମାନେ ଆଗରୁ କଇଞ୍ଚିଟିଏ ଠିକ୍‍ କରି ରଖିଥାଆନ୍ତି । ଏହିପରି ଆଲୋଚନା ଚାଲିଥିବାବେଳେ, କେହି ଜଣେ ସାଙ୍ଗ ଚୁପ୍‍ କରି ପଛଆଡ଼େ ଚୁଟିଟି କାଟିଦେଲେ । ସମସ୍ତେ ହସି ଉଠିଲେ । ହରିହର ମୁଣ୍ଡରେ ହାତମାରି ଦେଖିଲେ ଚୁଟି ନାହିଁ । ତଥାପି ସେ ଦୁଃଖିତ ହେଲେ ନାହିଁ । କହିଲେ, ସାଙ୍ଗ ପିଲା ଯଦି ଏଥିରେ ଖୁସି ହେଉଛନ୍ତି, ତେବେ ତାହା ହିଁ ହେଉ ।

 

ପୁନିଅଁ ପର୍ବରେ ସ୍କୁଲ ଛୁଟି ହେଲେ ପିଲାମାନେ ଗାଆଁକୁ ଆସନ୍ତି । ସାଧାରଣତଃ ଯେଉଁ ପିଲା ସ୍କୁଲରେ ପଢ଼ୁଥାଆନ୍ତି, ତାଙ୍କ ମନରେ ଗର୍ବ ବହୁତ । ଗାଆଁକୁ ଆସିଲେ ଅନ୍ୟ ଲୋକଙ୍କ ସହିତ ମିଶନ୍ତି ନାହିଁ । ଲୋକଙ୍କ ସାଙ୍ଗରେ ବେଶୀ କଥାବାର୍ତ୍ତା କରନ୍ତି ନାହିଁ । ନିଜକୁ ଭାରି ପଣ୍ଡିତ ମନେକରନ୍ତି ।

 

କିନ୍ତୁ ହରିହର ଗାଁକୁ ଆସିଲେ ଆଗ ଯାଇ ସବୁ ଲୋକଙ୍କୁ ସଙ୍ଖୁଳି ଆସନ୍ତି । ନିଜଠାରୁ ଯେ ବୟସରେ ବଡ଼, ତାଙ୍କ ଗୋଡ଼ତଳେ ମୁଣ୍ଡିଆ ମାରନ୍ତି, ତାଙ୍କ ହାନିଲାଭ ବୁଝନ୍ତି । ଯେଉଁମାନେ ସାଙ୍ଗ ବା ବୟସରେ ସାନ, ସେମାନଙ୍କ ସାଙ୍ଗରେ ଖେଳନ୍ତି, ବୁଲନ୍ତି । ସମସ୍ତଙ୍କୁ ନିଜର କରିନେଇଥାନ୍ତି । ତେଣୁ ଗ୍ରାମରେ ସାନଠାରୁ ବୁଢ଼ାଯାଏ ସମସ୍ତେ ତାଙ୍କୁ ଆଦର କରନ୍ତି । ଆଉ କେହି ଚୁଟି କାଟିଥିଲେ ଗ୍ରାମର ବୁଢ଼ା ବୁଢ଼ା ପଣ୍ଡିତେ ତାକୁ ଗାଳି ଦେଇଥାନ୍ତେ, କେତେ କଥା କହିଥାନ୍ତେ । କିନ୍ତୁ ହରିହର ଚୁଟି କାଟିଛନ୍ତି ଦେଖି କେହି କିଛି କହିଲେ ନାହିଁ । ସମସ୍ତେ ଭାବିଲେ–ହରିଟି ଆମର ଯୋଗ୍ୟ ପିଲା । ସେ ଯାହା ଠିକ୍‍ ଭାବିଛି, ତା କରିଛି । ସେ କେବେ ଅନ୍ୟାୟ କରିବ ନାହିଁ ।

 

ଗ୍ରାମର ବୁଢ଼ା ପଣ୍ଡିତମାନଙ୍କର ହରିହରଙ୍କ ଉପରେ ଯେଉଁ ବିଶ୍ୱାସ ଥିଲା, ତାହା ବିଫଳ ହୋଇନାହିଁ । ସାରା ଓଡ଼ିଶା ଲୋକଙ୍କର ସେହି ହରିହରଙ୍କ ଉପରେ ଦୃଢ଼ ବିଶ୍ୱାସ ଥିଲା । କୌଣସି ଅନ୍ୟାୟ, କିଛି ଅସତ୍ୟ ଯେ ତାଙ୍କ ପାଖ ପଶି ନାହିଁ, ଏ କଥା ସମସ୍ତେ ଭଲରୂପେ ଜାଣି ଥିଲେ ।

 

ହରିହର ସ୍କୁଲରେ ପଢ଼ୁଥିଲାବେଳେ ପୁରୀରେ ଭୀଷଣ ଭାବରେ ହଇଜା ଲାଗିଲା । ଶହ ଶହ ଲୋକ ବାଟଘାଟରେ ପଡ଼ି ଛଟପଟ ହେଇ ମଲେ । ସେଥିରୁ ଅଧିକାଂଶ ଦୂର ଦେଶରୁ ଜଗନ୍ନାଥଙ୍କ ଦର୍ଶନକୁ ଆସିଥାଆନ୍ତି । ଏଠାରେ ଘରଦ୍ୱାର ନାହିଁ କି ବନ୍ଧୁବାନ୍ଧବ, ଚିହ୍ନା ଲୋକ କେହି ନାହାନ୍ତି । ସେମାନଙ୍କୁ ବିପଦରେ ଚାହିଁବ କିଏ ?

 

ଏହା ଦେଖି ହରିହର ଥୟ ହୋଇ ରହିପାରିଲେ ନାହିଁ । ହଇଜା ରୋଗୀଙ୍କ ସେବା କରିବା ପାଇଁ ଅଣ୍ଟାଭିଡି ବାହାରି ପଡ଼ିଲେ । ତାଙ୍କ ଦେଖାଦେଖି ଆଉ କେତେକ ସ୍କୁଲପିଲା ମଧ୍ୟ କାମରେ ଲାଗିଗଲେ । ହରିହର ସେମାନଙ୍କ ନେତା ହେଲେ । ପିଲାମାନେ ଚାରିଆଡ଼େ ବୁଲିଲେ । ଯେଉଁଠାରେ ହଇଜାରୋଗୀ ପଡ଼ିଥିବାର ଦେଖିଲେ, ସେମାନଙ୍କର ସେବା କଲେ । ରୋଗୀଙ୍କ ଝାଡ଼ାବାନ୍ତି ସଫା କରିଦେଲେ, ତାଙ୍କ ଲୁଗାପଟା ବଦଳାଇଦେଲେ । ରୋଗୀଙ୍କୁ ଉଠାଇ ଡାକ୍ତରଖାନାକୁ ନେଲେ । ଔଷଧ ଆଣି ଦେଲେ, ପଥି ରାନ୍ଧି ଖୁଆଇଲେ । ପିଲାମାନେ ରାତିଦିନ ଲାଗି ଏପରି ସେବା କଲେ ଯେ, ନିଜର ମା ଭଉଣୀ, ବାପ ଭାଇ ବି ସେପରି ସେବା କରିବେ ନାହିଁ-। ଲୋକେ ଯେ ଅଣହେଳା ହୋଇ ମରୁଥିଲେ, ତାହା କମିଗଲା । ବହୁ ରୋଗୀ ଭଲ ହେଲେ-। ପିଲାମାନଙ୍କୁ ଧନ୍ୟ ଧନ୍ୟ କହିଲେ, ଆଶୀର୍ବାଦ କଲେ ।

 

ପୁରୀରେ ବାର ମାସରେ ତେର ପର୍ବ ଲାଗି ରହିଥାଏ । ପ୍ରତିଦିନ ବାହାରୁ ବହୁତ ଲୋକ ଜଗନ୍ନାଥ ଦର୍ଶନକୁ ଆସନ୍ତି, ଏହିପରି ରୋଗ ବେମାରିରେ ପଡ଼ନ୍ତି । ହରିହର ଓ ତାଙ୍କ ସାଙ୍ଗ ପିଲା ଖୋଜି ଖୋଜି ସେମାନଙ୍କ ସେବା କରନ୍ତି ।

 

ବାହାରେ ସବୁବେଳେ କାମ କରୁଥିଲେ ମଧ୍ୟ ସେ ପାଠ ପଢ଼ାରେ କେବେ ହେଳା କରୁ ନ ଥିଲେ । ସବୁ ବର୍ଷ କ୍ଲାସରେ ସେ ପ୍ରଥମ ହେଉଥିଲେ । ବହୁତ ପୁରସ୍କାର ପାଉଥିଲେ । ଏପରି କି କୁସ୍ତି କସରତରେ ମଧ୍ୟ ସେ ଖୁବ୍‍ ନାମ କରିଥିଲେ, ସେଥିପାଇଁ ପ୍ରଶଂସା ପାଉଥିଲେ । ଶେଷରେ ପ୍ରବେଶିକା ପରୀକ୍ଷା ଦେଲେ; ସେଥିରେ ବୃତ୍ତି ପାଇଲେ ।

 

–ଗୁଣୀକୁ ଗୁଣୀ ଚିହ୍ନେ–

 

ପ୍ରବେଶିକା ପରୀକ୍ଷାରେ ବୃତ୍ତି ପାଇ ହରିହର କଟକ ଆସିଲେ । ରେଭେନ୍‍ସା କଲେଜରେ ଏଫ.ଏ. ପଢ଼ିଲେ ।

 

ଏହିଠାରେ ଉକ୍ତଳମଣି ଗୋପବନ୍ଧୁ ଦାସଙ୍କ ସହିତ ତାଙ୍କର ମିଳନ ହେଲା । ଗୁଣୀକୁ ଗୁଣୀ ଚିହ୍ନେ । ଗୋପବନ୍ଧୁ ହରିହରଙ୍କୁ ଦେଖିଲାକ୍ଷଣି ଜାଣିଗଲେ ଯେ, ଏ ଗୋଟିଏ ଖାଣ୍ଟି ସୁନା । ହରିହର ମଧ୍ୟ ଗୋପବନ୍ଧୁଙ୍କୁ ଗୁରୁ ବୋଲି ମନେ କଲେ । ଆଗରୁ ତ ଦୁଃଖୀ ଦରିଦ୍ର, ରୋଗୀଶୋଷୀଙ୍କ ସେବା କରିବା ଝୁଙ୍କ ତାଙ୍କର ଥିଲା । ଗୋପବନ୍ଧୁଙ୍କ ଠାରୁ ଶିକ୍ଷା ପାଇ ବେଶୀ ଜୋରରେ ସେ କାମରେ ଲାଗି ପଡ଼ିଲେ । କେଉଁଠି ବଢ଼ିରେ ଗାଁ ଗଣ୍ଡା ଭାସିଗଲା; କେଉଁଠି ଦୁର୍ଭିକ୍ଷ ଯୋଗୁଁ ଲୋକେ ଖାଇବାକୁ ପାଉନାହାନ୍ତି- ଏ ସବୁ ଖବର ପାଇଲାକ୍ଷଣି ଗୋପବନ୍ଧୁ ଓ ହରିହର ସେଠାକୁ ଦଉଡ଼ିଲେ । ଅଜଣା ଅଶୁଣା ଅଞ୍ଚଳରେ ଯାଇ ଲୋକଙ୍କୁ ବିପଦରୁ ଉଦ୍ଧ।ର କଲେ । ନିଜେ ଖିଆପିଆ ଭୁଲିଲେ, ଝଡ଼ବର୍ଷ।, ଖରାକାକରରେ କଷ୍ଟ ପାଇଲେ, ଅପନ୍ତରା ମଶାଣିରେ ବୁଲିଲେ । ଦୁଃଖୀଲୋକଙ୍କ ଦୁଃଖ ଘୁଞ୍ଚାଇବା ହେଲା ତାଙ୍କର ପ୍ରଧାନ ବ୍ରତ ।

 

ଦୁଇ ବର୍ଷ ପରେ ହରିହର ଏଫ.ଏ. ପାସ୍‍ କଲେ । ତା ପରେ କଲିକତା ଯାଇ ଓକିଲାତି ପଢ଼ିଲେ । କିନ୍ତୁ ଓକିଲାତି କରିବାକୁ ତାଙ୍କର ମନ ହେଲା ନାହିଁ । ମିଛ ନ କହିଲେ, ଅନ୍ୟାୟ ବାଟରେ ନ ଚାଲିଲେ ଓକିଲ।ତିରେ ପଇସା ମିଳିବ ନାହିଁ । ଏହା ଜାଣି ସେ ଆସି ସ୍କୁଲର ମାଷ୍ଟର ହେଲେ । ସେ ସମୟରେ ତାଙ୍କ ପରି ବଡ଼ ଗଣିତ ମାଷ୍ଟର ଆଉ କେହି ନ ଥିଲେ । ତେଣୁ ସବୁ ସ୍କୁଲରୁ ତାଙ୍କୁ ଡାକରା ଆସିଲା । କଟକର ପ୍ୟାରୀମୋହନ ଏକାଡେମୀରେ ସେ ପାଞ୍ଚ ବର୍ଷ ରହିଥିଲେ ।

 

ସେହି ସମୟରେ ତାଙ୍କ ବାପା ମହାଦେବ ବ୍ରହ୍ମ। ମରିଗଲେ । ହରିହରଙ୍କର ଘରେ ଯାହା ଟିକିଏ ବନ୍ଧନ ଥିଲା; ତାହା ତୁଟିଗଲା । ଏଣିକି ସେ ଦେଶକାମରେ ପୁରାଦମ୍‍ରେ ଲାଗିପଡ଼ିଲେ ।

 

କାକଟପୁର ଅଞ୍ଚଳରେ ବଡ଼ ଦୁର୍ଭିକ୍ଷ ପଡ଼ିଲା । ଖାଇବାକୁ ନ ପାଇ ଲୋକେ ଛଟପଟ ହେଲେ । ବହୁ ଲୋକ ଗାଁ, ଘର ପିଲା କୁଟୁମ୍ବ ଛାଡ଼ି କିଏ କୁଆଡ଼େ ପଳାଇଗଲେ । ଅନେକ ମଲେ, କେତେକ ଗାଁ ଗାଁ ବୁଲି ଭିକ ମାଗିଲେ ।

 

ଏ ଖବର ପାଇ ହରିହର ଆଉ ଧୈର୍ଯ୍ୟ ଧରି ରହିପାରିଲେ ନାହିଁ । ଗୋପବନ୍ଧୁଙ୍କ ସାଙ୍ଗରେ ଯାଇ ସେ ଅଞ୍ଚଳ ବୁଲି ଲୋକଙ୍କ ସେବା କଲେ । ସହରମାନଙ୍କରେ ବୁଲି ଟଙ୍କା ଚାଉଳ ସଂଗ୍ରହ କଲେ । ତାହା ନେଇ ସେଠାରେ ଲୋକଙ୍କୁ ବାଣ୍ଟିଲେ । ଅସହାୟ ଲୋକଙ୍କର ସହାୟ ହେଲେ, ଭୋକିଲାଙ୍କ ପାଟିରେ ମୁଠାଏ ମୁଠାଏ ଭାତ ଦେଲେ । ସେତେବେଳେ ଯେ ହରିହରଙ୍କ କାମ ଦେଖିଥିଲେ, ସେମାନେ କହନ୍ତି, ଏକ ହରିହର ଦଶ ଜଣ ଲୋକଙ୍କର କାମ କରନ୍ତି । ତାଙ୍କ ଯୋଗେ ଅଳ୍ପ ସମୟ ପରେ ସେ ଅଞ୍ଚଳ ଥୟଥ।ନ ହେଲା; ଲୋକେ ଆଶ୍ୱସ୍ତ ହେଲେ ।

 

ଗୋପବନ୍ଧୁ ଆଉ ହରିହରଙ୍କୁ ପାଖରୁ ଛାଡ଼ିପାରିଲେ ନାହିଁ । ସେ ଯେଉଁ ସତ୍ୟବାଦୀ ସ୍କୁଲ ବସାଇଥିଲେ, ସେହି ସ୍କୁଲରେ ତାଙ୍କୁ ରଖାଇଲେ । ହରିହର ବୋର୍ଡ଼ିର ସୁପରିଟେଣ୍ଡେଣ୍ଟ ହେଲେ । ତାଙ୍କୁ ଆଚାର୍ଯ୍ୟ କୁହାଗଲା । ସେହି ଦିନୁ ସମସ୍ତେ ହରିହରଙ୍କୁ ଆଚାର୍ଯ୍ୟ ମହାଶୟ ବୋଲି ସମ୍ବୋଧନ କରିଥିଲେ ।

 

ସତ୍ୟବାଦୀ ସ୍କୁଲ ବୋର୍ଡ଼ିରେ ରେ ଶହ ଶହ ପିଲା ରହିଥାଆନ୍ତି । ହରିହର ସେମାନଙ୍କ ହାନିଲାଭ ବୁଝନ୍ତି । ସେମାନଙ୍କୁ ନିଜର ପୁଅଠାରୁ ବଳି ଅଧିକ ମନେ କରନ୍ତି । ତେଣୁ ପିଲାମାନେ ମଧ୍ୟ ଆଚାର୍ଯ୍ୟ ମହାଶୟଙ୍କୁ ବାପ ପରି ଭକ୍ତି କରନ୍ତି । ଅନେକ ଅତି ଛୋଟପିଲା, ଯେଉଁମାନେ କି ଆଗରୁ ସ୍କୁଲକୁ ଆସିବାକୁ ଡରୁଥିଲେ, ସେମାନେ ଆଉ ଘରେ ରହିବାକୁ ଭଲ ପାଇଲେ ନାହିଁ । ଆଚାର୍ଯ୍ୟ ମହାଶୟଙ୍କ ସ୍ନେହ ବାପ ମାଙ୍କ ସ୍ନେହଠାରୁ ତାଙ୍କୁ ବେଶୀ ଭଲ ଲାଗିଲା ।

 

କେଉଁ ପିଲାର ମୁଣ୍ଡ ବଥାଇଲା, କାହାକୁ ଜର ହେଲା ବା ଅନ୍ୟ କିଛି ଦେହ ଖରାପ ହେଲା, ସାଙ୍ଗେ ସାଙ୍ଗେ ଆଚାର୍ଯ୍ୟ ମହାଶୟ ଯାଇ ତା’ର ତତ୍ତ୍ଵ ନିଅନ୍ତି, ସେବା କରନ୍ତି । ତାଙ୍କ ସେବାରେ ଦିନେ ଦୁଇ ଦିନ ମଧ୍ୟରେ ରୋଗ ଛାଡ଼ି ପଳାଏ ।

 

ଛୋଟ ଛୋଟ ପିଲାଙ୍କୁ ବେଶୀ କାଛୁ ହୁଏ । ଆଚାର୍ଯ୍ୟ ମହାଶୟଙ୍କର ପ୍ରତିଦିନ ସକାଳେ କାମ ହେଉଛି, ସେମାନଙ୍କ କାଛୁ ଧୋଇ ସଫା କରିବା । ସକାଳୁ ନିମ୍ବପତ୍ର ପକାଇ ସେ ପାଣି ଗରମ କରନ୍ତି, ପିଲାମାନଙ୍କୁ ଗୋଟି ଗୋଟି ପାଖକୁ ଡାକି ସେମାନଙ୍କ କାଛୁ ଘା'ସବୁ ନିଜ ହାତରେ ଧୋଇ ଦିଅନ୍ତି । ପିଲାମାନଙ୍କୁ ଭାରି କାଟେ । ଆଉ କେଉଁଠ। ହୋଇଥିଲେ ସେମାନେ ଛାଟିପିଟି ହୋଇ ପଳାଇ ଯାଆନ୍ତେ, ନ ହେଲେ କାନ୍ଦିକାନ୍ଦି ସେ ସ୍ଥାନ କମ୍ପାଇ ଦିଅନ୍ତେ । ମାତ୍ର ଆଚାର୍ଯ୍ୟ ମହାଶୟଙ୍କ ପାଖରେ ପିଲାଙ୍କୁ ସେ କଷ୍ଟ କଷ୍ଟପରି ଜଣାଯାଏ ନାହିଁ । ତାଙ୍କ ସ୍ନେହପୂର୍ଣ୍ଣ କଥାରେ ପିଲା କାନ୍ଦ ଭୁଲିଯାଏ । ଜଣେ ଦୁଇଜଣ ନୁହନ୍ତି, ପ୍ରାୟ କୋଡିଏ ପଚିଶି ଜଣଙ୍କ କାଛୁଧୁଆ କାମ ନିତିପ୍ରତି ଲାଗିଥାଏ । କାଛୁରୋଗୀଙ୍କୁ ଦେଖିଲେ ଅନେକ ନାକ ଟେକନ୍ତି । କାଛୁ ଡିଆଁ ରୋଗ–ନିଜ ଦେହକୁ ଡେଇଁବ ବୋଲି କେହି କେହି ଡରନ୍ତି । କିନ୍ତୁ ଆଚାର୍ଯ୍ୟ ମହାଶୟଙ୍କର ସେଥିପ୍ରତି ଟିକିଏ ହେଲେ ଭ୍ରୁକ୍ଷେପ ନ ଥାଏ ।

 

–ସହଯୋଗ ଆନ୍ଦୋଳନ–

 

ମହାତ୍ମା ଗାନ୍ଧୀ ଭାରତକୁ ସ୍ୱାଧୀନ କରିବା ଲାଗି ଅସହଯୋଗ ଆନ୍ଦୋଳନ କଲେ । ଉତ୍କଳମଣି ଗୋପବନ୍ଧୁ ଆମ ଓଡିଶାରୁ ପ୍ରଥମେ ସେ ଆନ୍ଦୋଳନରେ ଯୋଗ ଦେଲେ । ସତ୍ୟବାଦୀ ସ୍କୁଲକୁ ସେ ଜାତୀୟ ସ୍କୁଲ କରିଦେଲେ । ସ୍କୁଲର ସବୁ ଶିକ୍ଷକ ଓ ଛାତ୍ର ମଧ୍ୟ ଏହି ଆନ୍ଦୋଳନରେ ଲାଗିଗଲେ । ଏପର୍ଯ୍ୟନ୍ତ ହରିହର କେବଳ ସ୍କୁଲପିଲାଙ୍କର ଆଚାର୍ଯ୍ୟ ଥିଲେ । ସ୍କୁଲପିଲାଙ୍କର ସେବା କରୁଥିଲେ । ଏଣିକି ସମୁଦାୟ ଓଡ଼ିଶାର ସେବା କରିବାକୁ ବାହାରି ପଡ଼ିଲେ; ଓଡ଼ିଶାର ସବୁ ଲୋକଙ୍କର ଆଚାର୍ଯ୍ୟ ମହାଶୟ ହେଲେ ।

 

ଇଂରେଜମାନେ ତ ଏ ଦେଶ ଶାସନ କରୁଥିଲେ–ଆମ ଭାରତର ଥିଲେ ହର୍ତ୍ତାକର୍ତ୍ତା । ସେମାନେ ଲୋକଙ୍କ ଉପରେ ବଡ଼ ଅତ୍ୟାଚାର କରୁଥିଲେ । ଦେଶକୁ ସ୍ୱାଧୀନ କରିବା ପାଇଁ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିବା ପାଇଁ ମହାତ୍ମାଗାନ୍ଧୀ ଆନ୍ଦୋଳନ ଆରମ୍ଭ କରିଦେଲେ । ପଣ୍ଡିତ ଗୋପବନ୍ଧୁ ହେଲେ ତାଙ୍କର ବଡ଼ ଶିଷ୍ୟ । ସେ ଓଡ଼ିଶାରେ ଗାନ୍ଧୀଙ୍କ କଥା ପ୍ରଚାର କଲେ । ଆଚାର୍ଯ୍ୟ ହରିହର ମଧ୍ୟ ଗୋପବନ୍ଧୁଙ୍କ ଭଳି ସେ ଆନ୍ଦୋଳନରେ ଯୋଗଦେଲେ । ଗାଁ ଗାଁ ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କଲେ ।

 

ଦେଶର ଲୋକେ, ପିଲାବୁଢ଼ା, ଧନୀଗରିବ, ସରକାରୀ ଅଫିସର, ସାଧାରଣ ବ୍ୟକ୍ତି ସମସ୍ତେ ଆଚାର୍ଯ୍ୟ ହରିହରଙ୍କୁ ନିଜର ମୁରବି ଭଳି ମନେ କରୁଥିଲେ । ତେଣୁ ତାଙ୍କ କଥାକୁ କେହି ଲଙ୍ଘି ପାରିଲେ ନାହିଁ । ଆନ୍ଦୋଳନରେ ଯୋଗ ଦେଲେ । "ଇଂରେଜ ସରକାର ଆମ ଦେଶରୁ ଚାଲିଯାଅ" ବୋଲି ଦାବୀ କଲେ ।

 

ସେଥିପାଇଁ ଇଂରେଜ ସରକାର ତାଙ୍କୁ ଥରକୁ ଥର ଜେଲ୍‍ରେ ପୂରାଇଲେ । ଏହିସବୁ ଦୁଃଖ କଷ୍ଟ ସହି ନ ପାରି କେହି କେହି ଦବିଗଲେ, ଆନ୍ଦୋଳନ ଛାଡ଼ିଦେଲେ । ମାତ୍ର ଆଚାର୍ଯ୍ୟ ମହାଶୟ ତ କାଉଁରିଆ କାଠି - ଭାଙ୍ଗିବ ପଛେ ନଇଁବ ନାହିଁ । ସେ ନଇଁଲେ ନାହିଁ, ବରାବର ଦେଶକାମରେ ଲାଗି ରହିଲେ ।

 

ଶେଷରେ ପ୍ରବଳ ପ୍ରତାପୀ ଇଂରେଜ ସରକାର ଗାନ୍ଧୀଙ୍କ ପାଖରେ ମୁଣ୍ଡ ନୁଆଇଁଲେ । ଏ ଦେଶ ଛାଡ଼ି ଚାଲିଗଲେ ।

 

ଦେଶ ସ୍ୱାଧୀନ ହେଲା ପରେ ଅନେକ ମନ୍ତ୍ରୀ ହେଲେ । କେତେକ ବଡ଼ ବଡ଼ ପାହିଆରେ ରହିଲେ । ପୂର୍ବର ଦୁଃଖ କଷ୍ଟ ଭୁଲିଯିବାକୁ ନାନା ଭୋଗବିଳାସରେ ମାତିଲେ । କିନ୍ତୁ ଆଚାର୍ଯ୍ୟ ମହାଶୟଙ୍କର ଟିକିଏ ହେଲେ ପରିବର୍ତ୍ତନ ହେଲା ନାହିଁ । ଦେଶଲୋକଙ୍କ ସେବା କରିବା, ଦୁଖୀ ଗରିବଙ୍କୁ ଆଶ୍ୱାସନା ଦେବା, ଯାହାଙ୍କୁ ଅନ୍ୟମାନେ ଘୃଣା କରନ୍ତି, ତାଙ୍କୁ ନିଜର କରିବା ଆଚାର୍ଯ୍ୟ ମହାଶୟଙ୍କର ପ୍ରଧାନ କାମ । ଏହି କାମ ତାଙ୍କର ଜୀବନବ୍ୟାପୀ ଲାଗି ରହିଥିଲା ।

 

ଆଚାର୍ଯ୍ୟ ମହାଶୟଙ୍କର ଏହି ଗୁଣ ଦେଖି ମହାତ୍ମା ଗାନ୍ଧୀ ତାଙ୍କୁ ଖୁବ୍‍ ଭଲ ପାଉଥିଲେ । ଯେତେବେଳେ ଆଚାର୍ଯ୍ୟ ମହାଶୟଙ୍କୁ ଷାଠିଏ ବର୍ଷ ପୁରିଗଲା, ଦେଶର ଲୋକେ ତାଙ୍କର ଜୟନ୍ତୀ ଉତ୍ସବ କଲେ । ଦେଶବାସୀ ତାଙ୍କୁ ଏତେ ସୁଖପାଆନ୍ତି ଯେ, ସମସ୍ତେ ଏ ଉତ୍ସବରେ ଆନନ୍ଦରେ ଯୋଗ ଦେଇଥିଲେ; ଆଚାର୍ଯ୍ୟ ମହାଶୟଙ୍କର ପୂଜା କରିଥିଲେ । ସେତେବେଳେ ମହାତ୍ମା ଗାନ୍ଧୀ ଲେଖିଥିଲେ–ମୋର ଭାରି ଇଛା, ମୁଁ ଆଜି ଆଚାର୍ଯ୍ୟ ହରିହରଙ୍କ ପାଖରେ ରହି ତାଙ୍କୁ ଆଶୀର୍ବାଦ କରନ୍ତି । ଆମ ଭିତରେ ସେ ଜଣେ ଖାଣ୍ଟି ଦେଶସେବକ, ଅତି ସାଧୁ ଲୋକ ।

 

ମଜାର କଥା ଆଚାର୍ଯ୍ୟ ହରିହର କେବେହେଲେ କାହାରି ଉପରେ ରାଗନ୍ତି ନାହିଁ । ସେ ବିରକ୍ତ ହେବାର କେହି କେବେ ଦେଖି ନାହିଁ କି କାହାକୁ ଗାଳି ଦେବାର କେହି ଶୁଣି ନାହିଁ । ତଥାପି ତାଙ୍କୁ ପିଲାଠାରୁ ବଡ଼ ଯାଏ, ଗରିବ ଠାରୁ ଧନୀ ଯାଏ ସମସ୍ତେ ଡରନ୍ତି, ପୁଣି ଭକ୍ତି କରନ୍ତି ।

 

ସ୍କୁଲ ବୋର୍ଡ଼ିରେ ସବୁ ରକମର ପିଲା ଥାଆନ୍ତି–ଭଲ ମନ୍ଦ, ସାଧୁ ଚୋର, ଶାନ୍ତ ଦୁଷ୍ଟ । କେହି କିଛି ଦୋଷ କଲେ ତାଙ୍କୁ ମାଡ଼ ଦେବା ତ ଦୂରର କଥା, କୌଣସି ପିଲା ମାଡ଼ ଖାଇଛି ଶୁଣିଲେ, ଆଚାର୍ଯ୍ୟ ମହାଶୟଙ୍କୁ ଜର ଆସିଯାଏ । କେହି କେବେହେଲେ ତାଙ୍କଠାରୁ ପଦେ କଡ଼ାକଥା ଶୁଣି ନାହିଁ । ତଥାପି ସବୁ ପିଲା ଆଚାର୍ଯ୍ୟ ମହାଶୟଙ୍କୁ ଡରୁଥିଲେ । କାଳେ ଆଚାର୍ଯ୍ୟ ମହାଶୟ ଜାଣିପାରିବେ, ସେହି ଭୟରେ କୌଣସି ଦୋଷ କରିବାକୁ କେବେହେଲେ କେହି ସାହସ କରୁ ନ ଥିଲେ ।

 

ପିଲାଙ୍କ କଥା ଛାଡ଼ । ବଡ଼ ବଡ଼ ଲୋକେ, ମନ୍ତ୍ରୀ, ହାକିମ, ଜଣାଶୁଣା ନେତାମାନେ ସୁଦ୍ଧା ଆଚାର୍ଯ୍ୟ ମହାଶୟଙ୍କ ନାମ ଶୁଣିଲେ ଶଙ୍କି ଯାଉଥିଲେ । ତାଙ୍କ ଭୟରେ କିଛି ଅନ୍ୟାୟ କାମ କରିବାକୁ ମନ ବଳାଉ ନ ଥିଲେ ।

 

ଥରେ ଜଣେ ମନ୍ତ୍ରୀ ସିଗାରେଟ୍‍ ଖାଉଥିଲେ । ସେହି ସମୟରେ ଆଚାର୍ଯ୍ୟ ମହାଶୟ ହଠାତ୍‍ ସେଠାରେ ପହଞ୍ଚିଗଲେ । ମନ୍ତ୍ରୀ ଦରପୋଡ଼ା ସିଗାରେଟ ଖଣ୍ଡକ ଲୁଚାଇ ସାଙ୍ଗେ ସାଙ୍ଗେ ଦୂରକୁ ପକାଇଦେଲେ । ସେହି ଦିନୁ ସେ ଆଉ ଜମା ସିଗାରେଟ୍‍ ଖାଇଲେ ନାହିଁ । କାଳେ କେତେବେଳେ ଆଚାର୍ଯ୍ୟ ମହାଶୟ ଦେଖି ପକାଇବେ–ଏହି ଭୟ ।

 

ଆଚାର୍ଯ୍ୟ ମହାଶୟ ଅତି ବୁଢ଼ା ହୋଇଗଲେ । ତଥାପି ନିଜ କାମରୁ ସେ ଓହରି ଯାଇ ନ ଥିଲେ । ସଵୁ ଦିନ ରାତି ଚାରିଟା ବେଳୁ ଉଠୁଥିଲେ । ନିଜ ଲୁଗାପଟା ସାବୁନ ଦେଇ ନିଜେ ସଫା କରୁଥିଲେ । ପ୍ରତିଦିନ ସୂତା କାଟି ସେହି ସୂତାରେ ବୁଣା ହୋଇଥିବା ଲୁଗା ପିନ୍ଧୁଥିଲେ । ତାଙ୍କ କାମ ସେ ଆଉ କାହାକୁ କରିବାକୁ ଦେଉ ନ ଥିଲେ । ନିଜର ବିଛଣାପତ୍ର, ବହି ଖାତା ନିଜେ କାନ୍ଧରେ ପକାଇ କୋଶ କୋଶ ବାଟ ଖାଲି ପାଦରେ ଚାଲୁଥିଲେ, ଗାଁ ଗାଁ ବୁଲୁଥିଲେ, ଲୋକଙ୍କ ସେବା କରୁଥିଲେ, ଲୋକଙ୍କ ସାଙ୍ଗରେ ମିଶୁଥିଲେ ।

 

ସମୁଦାୟ ଓଡ଼ିଶା ଦେଶ ତାଙ୍କର ଘର ଥିଲା । ଓଡ଼ିଶାର ସବୁ ଲୋକେ ତାଙ୍କର ଜ୍ଞାତି କୁଟୁମ୍ବ, ପିଲା କବିଲା । ଦୁନିଆରେ ଏପରି କେତେ ଜଣ ଲୋକ ମିଳିବେ ?

 

ଆଚାର୍ଯ୍ୟ ମହାଶୟ ୯ ବର୍ଷ ବଞ୍ଚିଥିଲେ । ଶେଷକୁ ତାଙ୍କ ଆଖିକୁ ଆଉ ଦେଖାଯାଉ ନଥିଲା । ତଥାପି ସେ ଚୁପ୍‍ ହୋଇ ଗୋଟିଏ ସ୍ଥାନରେ ବସି ନ ରହି ଗାଁ ଗାଁ ବୁଲୁଥିଲେ । ଲୋକଙ୍କ ଦୁଃଖ ସୁଖ ବୁଝୁଥିଲେ । ତାଙ୍କର ୧୯୭୧ ମସିହା ଫେବୃଆରୀ ମାସରେ ପରଲୋକ ହୋଇଗଲା । ଦେଶ ମୁରବି ଛେଉଣ୍ଡ ହୋଇପଡ଼ିଲା ।

 

ଏ ଖବର ପାଇ ଆମ ଦେଶର ସବୁ ଲୋକେ ଅତି ବିକଳ ହୋଇଥିଲେ । ଆପଦ ବିପଦରେ ସାହା ହେବା ପାଇଁ, ହାନୀ ଲାଭରେ ପରାମର୍ଶ ଦେବା ପାଇଁ ଆଉ କେହି ରହିଲେ ନାହିଁ-। ସମସ୍ତେ ମନେ କଲେ ଆମ ଘରର ବାପା କି ବଡ଼ ବାପା ଚାଲିଗଲେ । ଆମେ ଚଳିବୁ କିପରି ?

 

ଆଚାର୍ଯ୍ୟ ମହାଶୟଙ୍କର ଗୋଟିଏ ମାତ୍ର ଆଶୀର୍ବାଦ ଥିଲା–"ଭଲ ମଣିଷ ହୁଅ" ।

 

ଆମେ ଯଦି ଭଲ ମଣିଷ ହେବା, ତେବେ ପ୍ରକୃତରେ ତାଙ୍କର ଆଶୀର୍ବାଦ ପାଇପାରିବା-

Image